ତୁଳସୀ ସ୍ତବକ

 

 

 

 

 

 

 

 

ତୁଳସୀ ସ୍ତବକ

କବିବର ରାଧାନାଥ ରାୟ

 

ଉତ୍ସର୍ଗପତ୍ର

 

ନିଖିଳଗୁଣନିଧାନ ଅଷ୍ଟମଲ୍ଲିକାଧାଶ୍ବୀ

ଶ୍ରୀଳ ଶ୍ରୀଯୁକ୍ତ ମହାରାଜ ମହେନ୍ଦ୍ର ଦେଓ ବାହାଦୂର

ଶ୍ରୀକରକମଳେଷୁ-

ସବିନୟ ନିବେଦନମ୍ବିଦଂ ।

 

ଶ୍ରୀମାନ୍ ମହାରାଜ,

 

'ମହାଯାତ୍ରା' ରଚନା ସମ୍ବନ୍ଧରେ ଯେଉଁଦିନ ମୁଁ ଶ୍ରୀଛାମୁଙ୍କଠାରୁ ଉତ୍ସାହପ୍ରଦ ଓ ସହାନୁଭୂତିବ୍ୟଞ୍ଜକ ଅନୁଗ୍ରହ ଲିପି ପାଇଥିଲି, ସେଦିନ ମୋହର ଜୀବନର ଗୋଟିଏ ସ୍ମରଣୀୟ ଦିନ। ପୂର୍ବେ ମୋହର ଧାରଣା ଥିଲା ଯେ, ଭାଷାନୁରାଗ, ସାହିତ୍ୟରସିକତା ଏବଂ ଗ୍ରାହକତା ଓଡ଼ିଶା ପରିତ୍ୟାଗ କରି ଗଙ୍ଗବଂଶାବତଂସ ଶ୍ରୀ ସୁଢଳଦେବପାଳିତ ସୂଦୂର ବାମଣ୍ଡା ରାଜ୍ୟରେ ଆଶ୍ରୟ ଗ୍ରହଣ କରୁଅଛନ୍ତି ; ମାତ୍ର ଉଲ୍ଲିଖିତ ଦିନଠାରୁ ମୋହର ସେହି ଧାରଣା ପରିବର୍ତ୍ତିତ ହେଲା । "ମହାଯାତ୍ରା" ରଚନା ସମାପ୍ତ ହେଲା ତାହା ଶ୍ରୀ ଛାମୁଙ୍କୁ ଉତ୍ସର୍ଗ କରିବାର ସଂକଳ୍ପ ଥିଲା, ମାତ୍ର ସେହି ସଂକଳ୍ପକୁ କାର୍ଯ୍ୟରେ ପରିଣତ କରିବାର ଆଶା ବର୍ତ୍ତମାନ ଦୁରାଶାବତ୍ ପ୍ରତୀୟମାନ ହେଉଛି-। ସ୍ୱାସ୍ଥ୍ୟ, ଶାନ୍ତି ଏବଂ ଅବକାଶ ବ୍ୟତୀତ ବାଗ୍‍ଦେବୀଙ୍କର ଆରାଧନା କେବଳ ବିଡ଼ମ୍ବନାରେ ପରିଣତ ହୁଏ ।

 

ଶ୍ରୀଛାମୁଙ୍କ ପ୍ରତି ଭକ୍ତି ଏବଂ କୃତଜ୍ଞତା ପ୍ରଦର୍ଶନ ମୋହର ନିତାନ୍ତ କର୍ତ୍ତବ୍ୟ । ବାଗ୍‍ଦେବୀଙ୍କର ଉଦ୍ୟାନରୁ ସୁନ୍ଦର ପୁଷ୍ପ ତୋଳି ସେହି ପୁଷ୍ପରେ ସ୍ତବକ ପ୍ରସ୍ତୁତ କରି ଉପହାର ଦେଲେ ତାହା ଶ୍ରୀଛାମୁଙ୍କ ଗୌରାବିନ୍ବିତ ନାମର କଥଞ୍ଚିତ୍ ଉପଯୁକ୍ତ ହୁଅନ୍ତା, ମାତ୍ର ମୋହର ସେପରି ସୁବିଧା ନଥିବାରୁ ରୂପସମ୍ପର୍କରହିତ କେତେଗୁଡ଼ିଏ ତୁଳସୀଦଳରେ ଏହି ସ୍ତବକ ପ୍ରସ୍ତୁତ କରି ଶ୍ରୀଛାମୁରେ ଅର୍ପଣ କରିବାକୁ ସାହସୀ ହେଲି । ଗ୍ରହଣାନୂମତି ହେଲେ ଚରିତାର୍ଥ ହେବି ।

 

 

କଟକ

୨୭-୭-୯୪

ଶ୍ରୀ ଛାମୁଙ୍କର ବିନୟାବନତ ଭୃତ୍ୟ

ଶ୍ରୀ ରାଧାନାଥ ରାୟ

 

ବର୍ଷା ରାଗ – କଳହଂସକେଦାର

 

ପ୍ରସ୍ରବଣ-ଶଇଳେ କଲେ ବସତି

ସୌମିତ୍ରି ସଙ୍ଗେ ପ୍ରଭୁ ରାଘବ-ପତି,

ବହଇ ଗୋଦାବରୀ ସେ ଗିରି-ପାଦେ

ଶିଳାବନ୍ଧୁର-ଶେଯେ ଝର୍ଝର ନାଦେ ।

ଏକେ ସୁନ୍ଦର ଗିରି ଝର-ଶିରାଳ,

ଦୁଜେ ମହୀରେ ବିଜେ ବରଷାକାଳ;

ମେଘମାଳେ ମେଦୁର ଦେଖି ବିତାନ,

କହନ୍ତି ଲକ୍ଷ୍ମଣଙ୍କୁ ଶ୍ରୀ ରଘୁରାଣ –

“ଲକ୍ଷ୍ମଣ, ଘନ ଦେଖି ନାଚଇ କେକୀ,

ଭକତ ଯଥା ଭବମାୟା ଉପେକ୍ଷି;

ବିତରେ ଅକାତରେ ଜୀବନ ଘନ,

ଧନ୍ୟ ଯେ ଦାତା ଜାଣେ ଯାଚକ-ମନ ।

ନୀଳ ନୀରଦମାଳେ ଖେଳେ ଚପଳା,

ଖଳପୀରତି ପ୍ରାୟେ ସଦା ଚପଳା;

ବର୍ଷନ୍ତି ମହୀମୁଖେ ନଇଁ ଅମ୍ୱୁଦେ,

ବିଦ୍ୟା ସମ୍ପଦେ ଯଥା ନମନ୍ତି ବୁଧେ ।

 

ବେନି କୋଟିକି ନିହି ବେନି ଶିଖରେ,

ତ୍ରିବର୍ଣ୍ଣ-ଜ୍ୟୋତି-ସ୍ରୋତ ସୃଜି ଅମ୍ୱରେ,

ମଣ୍ଡେ ଜୀମୂତ-ଭାଲ ଶକ୍ର-କାର୍ମ୍ମୁକ,

ଆଶା ଉଜଳେ ଯଥା ଆସ୍ତିକ-ମୁଖ ।

 

ଠାବେ ଠାବେ ଶଇଳ-ନୀଳବିଗ୍ରହେ

ଧବଳ ଅଭ୍ରଖଣ୍ଡ କି ଶୋଭା ବହେ ।

ଚିତ୍ତେ ହୁଅଇ ପ୍ରତେ ପଡିଛି ଟିକି

କ୍ଷୀରୋଦ-ଫେଣ ବିଷ୍ଣୁ ଅଙ୍ଗେ ଛିଡିକି ।

 

ଜଳପ୍ରପାତ ଗର୍ଜି ଗଭୀର ରବେ

ତୁଙ୍ଗ ଭୃଗୁରୁ ଡେଇଁ ପଡେ ଭୈରବେ,

ସେ ରାବେ ପ୍ରତିରାବ ଦିଅଇ ଦରୀ,

ଧର୍ମ୍ମଶାସନେ ହୃଦୁଁ ବିବେକ ପରି ।

 

ସହନ୍ତି ଧାରା-ପାତ ଶଇଳଗଣ,

ଖଳ ବଚନ ଯଥା ସହେ ସୁଜନ;

ଫିଟିଛି ଝର, ଦେଖ ଟାଙ୍ଗର-ଅଙ୍ଗେ,

ପାଷାଣ୍ଡେ ହରି-ପ୍ରେମ ଯଥା ସୁସଙ୍ଗେ ।

 

ଚାଲନ୍ତି କୂଳ ଲଙ୍ଘି ଗିରି-ସରତେ,

ମତ୍ତ ପାମର ଯଥା ଅଳପ ବିତ୍ତେ,

ଗୋଦାବରୀକି ସର୍ବେ କରନ୍ତି ଗତି,

ମହତ-ଆଶ୍ରା ବିନୁ କାହିଁ ମୁକତି ?

 

ଆବିଳ ନବଜଳ ପରଶି ମହୀ,

ମାୟାରେ ଜୀବ ଯଥା ଜଡି ହୁଅଇ,

ନିରତେ ନୀର-ପାତେ ପୁରିଲା ସର

ସାତ୍ତ୍ୱିକ-ଗୁଣେ ଯଥା ସାଧୁ-ଅନ୍ତର ।

 

ନିମ୍ନଗା-ନୀର ବେଗେ ସାଗରେ ଧାଏଁ,

ଶାଶ୍ୱତେ ଭକ୍ତ ଜନ ମନ ପରାୟେ;

ସାଗରେ ନିଜ ଗୋତ୍ର ଯାଏ ବିସ୍ମରି,

ଭକ୍ତ ତନ୍ମୟ ଯଥା ଲଭିଲେ ହରି ।

 

ଉପୁଡି ପଡେ ତୀର-ବିଟପୀ ନୀରେ,

ବିଟପୀ ମନ ଯଥା ଲମ୍ପଟ-ଗିରେ,

ମାତ୍ର ଶଇଳ, ଦେକ, ଉଭା ଅଟଳେ,

କାମି-ଚାଟୁରେ ସତୀ ମନ କି ଟଳେ ?

 

ଲଙ୍ଘଇ ନଦୀସ୍ରୋତ ସେତୁବନ୍ଧନ,

ରାଜଦ୍ରୋହୀ ଯେସନ ରାଜଶାସନ;

ବହି ଯାଉଛି ବାରି ଭେଦି କିଆରୀ,

ମର୍ଯ୍ୟାଦା ଲଙ୍ଘେ ଯଥା ସ୍ୱତନ୍ତ୍ର-ନାରୀ ।

 

ଦର୍ଦ୍ଦୁର-ରବ ଶୁଣି ନୀରବ ପିକ,

ମୂଢ଼ ସଭାରେ ମୂକ ଯଥା ଧାର୍ମିକ;

ଡାହୁକ ବଂଶକୁଞ୍ଜେ ନିରତେ ରାବେ,

ବହୁଭାଷୀ ଯେସନ ଜଳ୍ପେ ସ୍ୱଭାବେ ।

 

ହରିତ ଦୁର୍ବାଦଳେ ହୋଇ ମଣ୍ଡନ,

ନିଦାଘ ରୁକ୍ଷ ମହୀ ଦିଶେ ଯତନ,

ସରସ ସାଧୁ ହୃଦ ହୁଏ ଯେପରି,

ଶୁଷ୍କ ବୈରାଗ୍ୟେ ଭକ୍ତିରସ ସଞ୍ଚରି ।

 

ପଲ୍ଲବ କଅଁଳିଲା ବୃକ୍ଷେ ଅନେକ,

ସାଧକ-ହୃଦେ ଯଥା ଉଦେ ବିବେକ,

ଅର୍କ-ପାଦପ ହେଲା ପତ୍ରବିହୀନ,

ସୌରାଜ୍ୟେ ଖଣ୍ଟେ ଯଥା ହୁଅନ୍ତି ଦୀନ ।

 

କଦମ୍ୱ ବିକଶିଲା ଗିରି-କାନନେ,

କଦମ୍ୱ-ବନ୍ଧୁ-ମେଘ-ମନ୍ଦ୍ର ନିଃସ୍ୱନେ;

ଭକତବନ୍ଧୁ ହରିନାମ କୀର୍ତ୍ତନୁ,

ହର୍ଷେ ପୁଲକେ ଯଥା ଭକତ ତନୁ ।

 

ଗୁଳ୍ମ ଗହଳେ ପଥ ଗଲାଟି ହରି,

ବିଧର୍ମୀ-ରାଜପଣେ ଶାସ୍ତ୍ର ଯେପରି;

ଶସ୍ୟେ ବସୁଧା କେଡେ ଶୋଭା ଆସ୍ପଦ,

ଉପକାରୀ ଜନର ଯେହ୍ନେ ସମ୍ପଦ ।

 

ଉଭେଇ ଗଲେ ନଭୁଁ ଜ୍ୟୋତିଷ୍କଗଣେ;

ଜ୍ୟୋତି ଦେଖାଇ ହେଲେ ଜ୍ୟୋତିରିଙ୍ଗଣେ,

ମୂର୍ଖରାଜ୍ୟେ ଯେସନ ବଢ଼େ ଆଦର

ନିର୍ଗୁଣେ, ଗୁଣିଜନେ ହୁଅନ୍ତି ପର ।

 

କୃଷକେ ଉପାଡନ୍ତି ବାଳୁଙ୍ଗା କ୍ଷେତୁଁ,

ସାଧୁ ଯେସନ ଆତ୍ମବଡ଼ିମା ଚେତୁଁ;

ସଲିଳୁଁ ପଳାଇଲେ କୋକେ ତ୍ୱରିତେ,

ଅବୁଝା ରାଜା ରାଜ୍ୟୁଁ ଯଥା ପଣ୍ଡିତେ ।

 

ନ ଉଠେ ନୀର-ସତ୍ତ୍ୱେ ତୃଣ ଉଷରେ,

ବିକାରେ କାମ ପ୍ରାୟେ ସନ୍ଥ-ଅନ୍ତରେ;

ଜନ୍ତୁ-ସଂକୁଳ ବନସ୍ଥଳୀ ସମ୍ପ୍ରତି,

ସୌରାଜ୍ୟେ ପ୍ରଜାପୂର୍ଣ୍ଣ ରାଷ୍ଟ୍ର ଯେମିତି ।

 

ବାଟୋଇ ଠାବେ ଠାବେ ଅଟକି ରହେ,

ଇନ୍ଦ୍ରିୟ ଯଥା ଦିବ୍ୟଜ୍ଞାନ ଉଦୟେ,

ପ୍ରବଳ ବାୟୁ କେବେ ତଡ଼େ ଜଳଦ,

କୁପୁତ୍ର ଯଥା କୁଳ-ଧର୍ମ, ସମ୍ପଦ ।

 

କ୍ଷଣେ ନିବିଡ଼ତମ ଗ୍ରାସଇ ଧରା

କ୍ଷଣେ ଉପୁଜେ ପୁଣି ପ୍ରଚଣ୍ଡ ଖରା,

କୁସଙ୍ଗ ଏହିପରି ସୁସଙ୍ଗ ନାଶେ,

ସୁସଙ୍ଗ ଏହିପରି ଜ୍ଞାନ ପ୍ରକାଶେ ।

 

ଦେଖ, ମଳିନ ହୋଇ ଆଶ୍ରମ-ସର

ନ ବହେ ହୃଦେ ଛବି ତୀର ବନର,

ମତିକି କଳୁଷିତ କଲେ ଯେସନେ

ଅକ୍ଷମ ଜନେ ପର ଗୁଣ ଗ୍ରହଣେ ।

 

ଦେଖ ଦେଖ ଅଗ୍ରତେ ସରସୀଜଳେ

ପଡି ମଣ୍ଡୁକ କ୍ରୁର ଅହି କବଳେ

ବିକଳେ ରାବୁଁ ରାବୁଁ, ଊର୍ଦ୍ଧ୍ୱେ ଉଡ୍ଡୀନ

ଉହୁଙ୍କି ଶିଶୁ କଙ୍କି ଦେଲା ଗିଳିଣ ।

 

କାଳ କବଳେ ସିନା ଏ ରୂପେ ଭାଇ,

ଆରତେ ନର ଘାରି ହେଉଣ ଥାଇ,

ତେବେହେଁ ମନାସଇ ଲଭି ଏ ଦଶା

ମେଣ୍ଟାଇବାକୁ ଭବ-ଭୋଗ-ଲାଳସା ।

 

ବରଷାକାଳ ଅଟେ ଉଦ୍ଭିଦ-ମିତ୍ର,

ମାତ୍ର ପଙ୍କଜ ମଲା, ନୁହେଁ ବିଚିତ୍ର !

ଜଳ-ଗହଳ ହେଲା ତା ପକ୍ଷେ ଯମ,

ଅତି ସମ୍ପଦ, ବାବୁ, ମହାବିଷମ ।”